ବୁଦ୍ଧିରେ ହିଁ ବଳ
17 ଜୁଲାଇ 2017
ଶେୟାର କରନ୍ତୁ :
ଯେ କୌଣସି କାରିଗରୀ କୌଶଳ ଏବଂ ଦକ୍ଷତା ପଛରେ ଅଛି ମଣିଷ ମନର ବୁଦ୍ଧି। ବୁଦ୍ଧି ସମସ୍ତଙ୍କ ପାଖରେ ଊଣା ଅଧିକ ଥାଏ। କିନ୍ତୁ ବୁଦ୍ଧି ଜିନିଷଟି କ’ଣ, ତାହା ନ ଜାଣିଲେ ଜଣେ ତା’ର ସଦୁପଚାର କରିବ କେମିତି? ସ୍କୁଲରେ ପାଠ ପଢିବା ବେଳେ ବୁଦ୍ଧିର ମର୍ମ ବୁଝିବା ପାଇଁ ସାଧାରଣତଃ ଶ୍ରେଣୀର ବୁଦ୍ଧିମାନ ପିଲାଙ୍କ ଉଦାହରଣ ଦିଆଯାଇଥାଏ। ଯେଉଁମାନେ ଅଙ୍କ, ବିଜ୍ଞାନ, ସାହିତ୍ୟ, ଇତିହାସ - ଏସବୁ ଭଲ ଭାବରେ ବୁଝି ମନେ ରଖି ପ୍ରଶ୍ନର ଉତ୍ତର ସଠିକ ଭାବରେ ଦେଇପାରନ୍ତି, ସେଇମାନେ ହିଁ ବୁଦ୍ଧିମାନ ବୋଲି ଧରାଯାଏ ଏବଂ କୁହାଯାଏ ଯେ କେବଳ ସେଇମାନେ ହିଁ ଜୀବନରେ ସଫଳତାର ଶୀର୍ଷକୁ ଯାଇପାରିବେ।
କିନ୍ତୁ ବୁଦ୍ଧିକୁ ନେଇ ଗବେଷଣା କରିଥିବା ବହୁ ବୈଜ୍ଞାନିକ ମତ ଦେଇଛନ୍ତି ଯେ ପାଠ, ପୋଥିର ବୁଦ୍ଧି ଏକମାତ୍ର ବୁଦ୍ଧି ନୁହଁ। ଏହି ପରିପ୍ରେକ୍ଷୀରେ ପୁରୁଣା ଗପଟିଏ ମନେପଡୁଛି। ଜଣେ ଅଶିକ୍ଷିତ ନାଉରିଆ ଥରେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତଙ୍କୁ ନଈ ପାର କରାଉଥିଲା। ନାଉରିଆକୁ ହେୟ ଦୃଷ୍ଟିରେ ଚାହିଁ ପଣ୍ଡିତଜଣଙ୍କ ହଠାତ୍ ପଚାରିଲେ - ତୁମେ ଶାସ୍ତ୍ର ପଢିଛ? ଶ୍ରୀଅକ୍ଷରବିବର୍ଜିତ ନାଉରିଆ ଶାସ୍ତ୍ର ପଢିବାର ପ୍ରଶ୍ନ କାହିଁ? ଏଥର ପଣ୍ଡିତ ନାଉରିଆକୁ ଛୋଟ କରି ବହୁ କଥା କହିଲେ ଏବଂ ଶେଷରେ ଜଣେଇଦେଲେ ଯେ ଶାସ୍ତ୍ର ନ ପଢିଥିଲେ ଜୀବନ ମୂଲ୍ୟହୀନ। ଏହିସମୟରେ ହଠାତ୍ ଘଡଘଡି, ବଜ୍ରପାତ ସହ ବର୍ଷା ଆରମ୍ଭ ହୋଇଗଲା ଏବଂ ବଢି ଆସିଗଲା। ଡଙ୍ଗା ସେତେବେଳେ ମଝି ନଈରେ। ବ୍ୟସ୍ତ ହୋଇ ନାଉରିଆ ପଚାରିଲା - ପଣ୍ଡିତେ, ଆପଣ ପହଁରି ଜାଣିଛନ୍ତି ତ? ପଣ୍ଡିତଙ୍କ ମୁହଁ ଶୁଖିଗଲା। ସେଇ ମୁହୂର୍ତ୍ତରେ ପ୍ରକୃତ ଜ୍ଞାନୋଦୟ ହେଲା ତାଙ୍କର।
କେବଳ ପୋଥିଗତ ବିଦ୍ୟା ବୁଦ୍ଧିର ଲକ୍ଷଣ ନୁହଁ। ପ୍ରକୃତରେ ଦେଖିବାକୁ ଗଲେ ବୁଦ୍ଧି ଅନେକ ରକମର। ବିଶ୍ବ ବିଖ୍ୟାତ ହାର୍ଭାର୍ଡ୍ ବିଶ୍ବବିଦ୍ୟାଳୟର ଜଣେ ସ୍ବନାମଧନ୍ୟ ମନସ୍ତତ୍ତ୍ବବିତ୍ ହାୱାର୍ଡ୍ ଗାର୍ଡନର୍ କହିଛନ୍ତି ଯେ ବୁଦ୍ଧି ନଅ ରକମର। କେବଳ ପୋଥିଗତ ବିଦ୍ୟାରେ ବିଚକ୍ଷଣ ହେବା ବୁଦ୍ଧିମତ୍ତାର ଏକମାତ୍ର ଲକ୍ଷଣ ନୁହଁ। ଜୀବନରେ ପ୍ରକୃତ ସଫଳତା ପାଇବାକୁ ହେଲେ ଆମକୁ ବିଭିନ୍ନ ରକମର ବୁଦ୍ଧି ବିଷୟରେ ଜାଣିବାକୁ ହେବ।
ହାୱାର୍ଡ୍ ଗାର୍ଡନର୍ଙ୍କ ମତରେ ନଅଟିରୁ ଗୋଟିଏ ହେଲା ଗାଣିତିକ ବୁଦ୍ଧି। ଗଣିତ ସହିତ ଯୋଡା ଯୁକ୍ତି । ଗଣିତର ଦୁନିଆରେ ଏକ ସହିତ ଏକ ଯୋଡିଲେ ଦୁଇ ହିଁ ହୋଇଥାଏ। ଏହାର ବ୍ୟତିକ୍ରମ ନାହିଁ। ଏଣୁ ଯିଏ ଗଣିତ ଭଲ କରିପାରେ, ତା’ର ଯୁକ୍ତିଗତ ଚିନ୍ତାଶକ୍ତି ମଧ୍ୟ ଥାଏ। ଏଭଳି ମଣିଷ ଦୁଇଟି ଜିନିଷର ପୂର୍ବାପର ସମ୍ପର୍କ, ନିଜ କାର୍ଯ୍ୟକଳାପ ଦ୍ବାରା ଅନ୍ୟ ଜିନିଷ ଉପରେ ପଡୁଥିବା ପ୍ରଭାବ ସହଜରେ ବୁଝିଯାଏ। ଯଦିଓ ଗାଣିତିକ ବୁଦ୍ଧି ଜୀବନରେ ସଫଳତା ପାଇବା ପାଇଁ ସାହାଯ୍ୟ କରିପାରେ, ତଥାପି ମନେ ରଖିବାକୁ ହେବ ଯେ ଏହା ଏକମାତ୍ର କିମ୍ବା ସବୁଠାରୁ ବଡ ବୁଦ୍ଧି ନୁହଁ। ଏହି ବୁଦ୍ଧି ପଣ୍ଡିତଙ୍କୁ ମଝି ନଈରେ ବୁଡିଯାଉଥିବା ଡଙ୍ଗାରୁ ରକ୍ଷା କରିପାରିବ ନାହିଁ। ବିପଦ ସମୟରେ ପଣ୍ଡିତଙ୍କୁ ସୁଅ ମୁହଁରୁ ଉଦ୍ଧାର କରିଆଣିବା ବୁଦ୍ଧି ଗାଣିତିକ ବୁଦ୍ଧି ଅପେକ୍ଷା ବହୁ ଗୁଣରେ ବଡ।
ହାୱାର୍ଡ୍ ଗାଡ୍ନର୍ କହନ୍ତି ଯେ ଦ୍ବିତୀୟ ବୁଦ୍ଧିଟି ହେଲା ସାହିତ୍ୟିକ ବୁଦ୍ଧି। ସାହିତ୍ୟିକ ବୁଦ୍ଧି ମାନେ ନୁହଁ କେବଳ ଗଳ୍ପ, କବିତା, ବ୍ୟାକରଣ ଇତ୍ୟାଦିରେ ପାରଙ୍ଗମ ହେବା। ଏଭଳି ବୁଦ୍ଧି ଥିବା ବ୍ୟକ୍ତିମାନେ ସୁନ୍ଦର ଭାବରେ ଛୋଟ ଚିଠିଟିଏ ମଧ୍ୟ ଲେଖିପାରନ୍ତି। ବିଭିନ୍ନ ବିଷୟରେ ବହି ପଢିବା ଦ୍ବାରା ଏହି ସାହିତ୍ୟିକ ବୁଦ୍ଧିର ବିକାଶ ହୋଇଥାଏ। ସାହିତ୍ୟିକ ବୁଦ୍ଧି ଥିବା ବ୍ୟକ୍ତିଟି ଭାଷାର ମହତ୍ତ୍ବ ବୁଝିପାରେ ଏବଂ ସହଜରେ ଅନ୍ୟ ଭାଷାକୁ ଆୟତ୍ତ କରିପାରେ। ଏହା ସହିତ ଦକ୍ଷତା ଓ କୌଶଳ ମିଶିଗଲେ ଅଗାଧ ସଫଳତା ମିଳିଯାଏ।
କିଛି ଦିନ ତଳେ ଓଡିଶାରୁ ଦକ୍ଷତା ତାଲିମ ଗ୍ରହଣ କରି ବେଙ୍ଗାଲୁରୁରେ କାମ କରୁଥିବା ପୁଅଝିଅମାନଙ୍କୁ ଦେଖା କରିବାକୁ ଯାଇଥିଲି। ଓଡିଶାର ବିଭିନ୍ନ ଜିଲ୍ଲାରେ ‘ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା’, ଅର୍ଥାତ୍ DDUGKY ସ୍କିମ୍ରେ ସବୁରକମର ଖର୍ଚ୍ଚ ଦେଇ ସରକାର ଅଢେଇ ମାସର ପ୍ରଶିକ୍ଷଣର ବ୍ୟବସ୍ଥା କରିଛନ୍ତି। ଦଶମ ଶ୍ରେଣୀ ପାଠ ପଢି ଜଣେ ଏହି ସ୍କିମ୍ରେ ବିଭିନ୍ନ ବିଷୟରେ ଦକ୍ଷତା ହାସଲ କରିପାରିବ। ଏହିଥିରୁ ଗୋଟିଏ ହେଉଛି ‘ରିଟେଲ୍ ଟ୍ରେଡ୍’। ଏହି ଟ୍ରେନିଙ୍ଗ୍ ନେଲେ ବଡ ବଡ ମଲ୍ରେ, ଦୋକାନରେ ସେଲ୍ସ୍ ବା ବିକ୍ରି କ୍ଷେତ୍ରରେ ଭଲ ଚାକିରିଟିଏ ମିଳିଥାଏ। ଓଡିଶାର ବହୁ ପୁଅଝିଅ ଏହି ଟ୍ରେନିଙ୍ଗ୍ ନେଇଛନ୍ତି ମଧ୍ୟ।
ବେଙ୍ଗାଲୁରର ‘ୱେଷ୍ଟ୍ ସାଇଡ୍’ ମଲ୍ରେ କାମ କରୁଥିବା ଏଭଳି ବହୁ ଓଡିଆ ପୁଅଝିଅଙ୍କୁ ମୁଁ କିଛି ଦିନ ତଳେ ଦେଖା କରିଥିଲି। ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା କଲି। ସେତେବେଳେ ‘ୱେଷ୍ଟ୍ ସାଇଡ୍’ର ଜେନେରାଲ୍ ମ୍ୟାନେଜର୍ ଗୋଟିଏ ଓଡିଆ ଝିଅକୁ ଚିହ୍ନେଇ ଦେଇ କହିଲେ ଯେ ଝିଅଟିର ନାଁ ସୁମତି ନାୟକ। ବର୍ଷେ ତଳେ ଯେତେବେଳେ ଚାକିରିରେ ଯୋଗ ଦେଲା, ସେତେବେଳେ ଝିଅଟି କେବଳ ଭଙ୍ଗା ଭଙ୍ଗା ହିନ୍ଦୀ କହିପାରୁଥିଲା। ଅଥଚ ଏବେ ନିଜ ଚେଷ୍ଟାରେ ସାବଲୀଳ ଇଂରାଜୀ, ହିନ୍ଦୀ ଏବଂ କନ୍ନଡା ମଧ୍ୟ କହିପାରେ। ସୁମତିର ସଫଳତା ପଛରେ ରହିଛି ସାହିତ୍ୟିକ ବୁଦ୍ଧି।
ଗାର୍ଡନର୍ଙ୍କ ମତରେ ଗାଣିତିକ ଓ ସାହିତ୍ୟିକ ବୁଦ୍ଧି ଯଥେଷ୍ଟ ନୁହଁ। ଆମ ସମସ୍ତଙ୍କ ଭିତରେ ଅଳ୍ପ ବହୁତ ହୋଇ ‘କାଇନେସ୍ଥେଟିକ୍’ ବା ଶରୀରର ଅଙ୍ଗପ୍ରତ୍ୟଙ୍ଗ ପ୍ରୟୋଗ କରିପାରିବାର ଏକ ବିଶେଷ ବୁଦ୍ଧି ମଧ୍ୟ ରହିଛି। ଏହି ବୁଦ୍ଧି ଦ୍ବାରା ଜଣେ କିପରି ଭାବରେ ଏବଂ କେତେ ମାତ୍ରାରେ ନିଜ ହାତଗୋଡ ବ୍ୟବହାର କରିବ, ତାହା ନିର୍ଦ୍ଧାରିତ ହୋଇଥାଏ। ଶୁଣିବାକୁ ସହଜ, କିନ୍ତୁ ପ୍ରକୃତରେ କଥାଟି ସାଧାରଣ ନୁହଁ। ଜଣେ ନାଉରିଆ, ଜଣେ ଉଚ୍ଚମାନର ଟେକ୍ନିସିଆନ୍, ଜଣେ ସର୍ଜନ୍ ଏବଂ ଜଣେ ଟେଷ୍ଟ୍ କ୍ରିକେଟ୍ ଖେଳାଳୀଙ୍କ ମଧ୍ୟରେ ଯେଉଁ ସାମଞ୍ଜସ୍ୟ ରହିଛି, ତାହା ହେଲା ‘କାଇନେସ୍ଥେଟିକ୍ ଇନ୍ଟେଲିଜେନ୍ସ୍’। ଏହା ନେଇ ଆରଥରକୁ ମୁଁ ଆଲୋଚନା କରିବି।